October 17, 2024

Odia Express

Here, There and Everywhere

ନବୀନ ବିରୋଧୀ ଦଳ ନେତା ନିର୍ବାଚିତ ପ୍ରସନ୍ନ ଉପନେତା, ପ୍ରମିଳା ମୁଖ୍ୟ ସଚେତକ

ବିଜେଡି ସଭାପତି ନବୀନ ପଟ୍ଟନାୟକ ହେବେ ବିଧାନସଭାରେ ବିରୋଧୀ ଦଳ ନେତା। ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକରେ ସର୍ବସମ୍ମତକ୍ରମେ ଦଳୀୟ ବିଧାୟକମାନେ ନବୀନଙ୍କୁ ବିରୋଧୀ ଦଳ ନେତା ଭାବରେ ନିର୍ବାଚିତ କରିଛନ୍ତି। ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀ ଦଳ ଉପନେତା ଓ ପ୍ରମିଳା ମଲ୍ଲିକ ମୁଖ୍ୟ ସଚେତକ ରୂପେ ନିର୍ବାଚିତ ହୋଇଛନ୍ତି।ବିଜେଡି ବିଧାୟକ ଦଳର ଉପମୁଖ୍ୟ ସଚେତକ ରୂପେ ପ୍ରତାପ କେଶରୀ ଦେବଙ୍କୁ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଯାଇଛି ।

ବୁଧବାର ଅପରାହ୍ନରେ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ବିଜେଡି ବିଧାୟକ ଦଳ ବୈଠକ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଳର ୫୧ ବିଧାୟକଙ୍କ ସହ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରମିଳା ମଲ୍ଲିକ ସ୍ବାଗତ ଅଭିଭାଷଣ ପ୍ରଦାନ କରି ଔପଚାରିକ ଭାବରେ ବୈଠକକୁ ଆରମ୍ଭ କରିଥିଲେ। ଏହି ଅବସରରେ ବିଜେଡି ବିଧାୟକ ଦଳ ନେତା ଭାବରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ନିର୍ବାଚିତ କରିବା ପାଇଁ ପ୍ରତାପ କେଶରୀ ଦେବ ପ୍ରସ୍ତାବ ଦେଇଥିଲେ ଓ ବିଧାୟକ ଡ଼ ଅରୁଣ କୁମାର ସାହୁ ଏହାକୁ ସମର୍ଥନ କରିଥିଲେ।

ନବୀନଙ୍କୁ ବିଜେଡି ବିଧାୟକ ଦଳ ନେତା ଭାବରେ ନିର୍ବାଚିତ କରିବା ପାଇଁ ଏହି ପ୍ରସ୍ତାବକୁ ଦଳର ସମସ୍ତ ବିଧାୟକ ସମର୍ଥନ ପ୍ରଦାନ କରିଥିଲେ।ଏହି ଅବସରରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ବିଧାୟକ ଦଳ ଉପନେତା ଓ ପ୍ରମିଳା ମଲ୍ଲିକଙ୍କୁ ମୁଖ୍ୟ ସଚେତକ ଭାବରେ ନିର୍ବାଚିତ କରାଯାଇଥିଲା। ସେହିପରି ବିଧାୟକ ପ୍ରତାପ କେଶରୀ ଦେବ ଉପମୁଖ୍ୟ ସଚେତକ ରୂପେ ନିର୍ବାଚିତ ହୋଇଥିଲେ।ଏହି ଅବସରରେ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ବିଧାନସଭାରେ ବିଜେଡିର ଭୂମିକା ସମ୍ପର୍କରେ ବିଧାୟକମାନଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟର ହିତ ନିମନ୍ତେ ତାଙ୍କ ଦଳ ଦ୍ବାରା ଯାହା ସମ୍ଭବ ତାହା କରିବ ଏବଂ ରାଜ୍ୟବାସୀଙ୍କ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକ ସମ୍ପର୍କରେ ବିଧାନସଭାରେ ସ୍ବର ଉଠାଇବ ବୋଲି କହିଛନ୍ତି। ତାଙ୍କୁ ବିଧାୟକ ଦଳ ନେତା ଭାବରେ ନିର୍ବାଚିତ କରିଥିବାରୁ ବିଧାୟକମାନଙ୍କୁ ମଧ୍ଯ ଧନ୍ୟବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *